Unknown

 

 

 

 

 

 

 

 

ପରିଶିଷ୍ଟ

ପଦ୍ୟ

 

ଭକ୍ତକବି ମଧୁସୂଦନ ରାଓ

 

ପୁରୀ-ରାଣୀଙ୍କର ରୋଦନ

(ରାଗ – ବଙ୍ଗଳାଶ୍ରୀ)

ଆଜି ରାଜପୁରେ ଉନ୍ମାଦିନୀ ସମ

ପୁରୀ-ରାଜ-ପାଟେଶ୍ୱରୀ,

ପଡ଼ି ମହୀତଳେ କାନ୍ଦନ୍ତି ବିକଳେ,

ଶୋକେ ବିବଶା ସୁନ୍ଦରୀ ।

ପାଶେ ରାଜଶିଶୁ, ‘‘କାହିଁକି ମା କାନ୍ଦ’’

ବୋଲି ଟାଣଇ ଅଞ୍ଚଳ,

ନ ଚାହାନ୍ତି ସୁତେ, ଅସ୍ଥିର ହୃଦୟେ

ବିସର୍ଜନ୍ତି ଅଶ୍ରୁଜଳ ।

ନିଷ୍ଠୁର ବ୍ୟାଧର ତୀକ୍ଷ୍ଣ ଶର ବିଦ୍ଧ

କୁରଙ୍ଗ ଅଙ୍ଗନା ପରି,

ଆତଙ୍କେ ଆକୁଳ, ଛଟପଟ ପ୍ରାଣ

ଶୋକେ ବୋଲନ୍ତି ସୁନ୍ଦରୀ ।

ସତ କିରେ ଆଜି, ଶତନାରାୟଣ-

ପୂଜ୍ୟ ପ୍ରାଣନାଥ ମୋର,

କଳଙ୍କେ ଆଚ୍ଛନ୍ନ, ହୋଇଣ ଲଭିଲେ

ଏ ଦୁଃଖ ଅସହ୍ୟ ଘୋର ।

ପ୍ରାଣକାନ୍ତ ମୋର ତରୁଣ ଯୌବନେ

ଆଜି ଦୁଃଖେ ବନ୍ଦିପୁରେ,

ନିର୍ଦ୍ଦୟ ପରାଣ, କାହିଁକି ଆହୁରି

ଦହୁଛ ଏ ଅବଳାରେ ।

ପ୍ରବଳ ଦଇବ କି ରଙ୍ଗ ତୋହର

କାହିଁକି ଏ ବିଡ଼ମ୍ୱନା,

ସୁଖାଶା-ସଲିଳେ ଭସାଇ ପହିଲେ

ନୈରାଶ୍ୟ-କୁଣ୍ଡେ ଗଞ୍ଜନା ।

ଯେଉଁ ପ୍ରିୟପତି କରପଦ୍ମେ ଦୈବ

ସମର୍ପିଲୁ ମୋ ଜୀବନ,

ତାଙ୍କ ବିଚ୍ଛେଦରେ, ନୈରାଶ୍ୟ-ଅନ୍ଧାରେ

ଏ ପ୍ରାଣେ କି ପ୍ରୟୋଜନ ।

ଯେ ଦୁଃଖ ଶର୍ବରୀ, ଘୋଟି ଆସୁଅଛି

ଘୋର ତମିସ୍ର ବେଶରେ,

ପ୍ରଭାତ ତାହାର ହେବକି, ରେ ଆଉ

ଥାଉଁ ଏ ପ୍ରାଣେ ପିଣ୍ଡରେ ।

ତେବେ ରେ ଶମନ ଦୁଃଖ ପ୍ରଶମନ

କର ଆସି ତୁ ବହନ,

 

ମୋ ପରି ଜନର ତୁ ଏକା ଭରସା

ସ୍ୱାଗତ ତୋ ଆଗମନ ।

ସୁଖ ଆଶା ଯାର, ଏ ମହୀମଣ୍ଡଳେ

ଭାଗ୍ୟବଳେ ସମୁଜ୍ଜ୍ୱଳ,

ସେ ସିନା ଡରିବ ତୋର ଖରଶର

ମୃତ୍ୟୁ ମୋ ପକ୍ଷେ କୁଶଳ ।

ଜଗତର ନାଥ, ପତିତ ପାବନ

ନାଶ ଏ ଦେହ ବନ୍ଧନ,

ଏଥୁ ମୁକ୍ତ ହୋଇ, ଭ୍ରମିବି ସେଠାବେ

ଯହିଁ ମୋ ଜୀବ-ଜୀବନ ।

ଆହୁରି କଥାଏ, ବିଶ୍ୱ ମହାପ୍ରଭୁ

ଜଣାଉଛି ପାଦତଳେ,

ଶୂରକୁଳଯୋଗ୍ୟ ତନୟ ମୋହର

ହେଉ ତୁମ୍ଭ କୃପାବଳେ ।

(ଉତ୍କଳ ଦୀପିକା – ୨୦।୪।୧୮୭୮)

•••

 

ସମ୍ୱତ୍ସର ବିଦାୟ ସଙ୍ଗୀତ

 

ଅନନ୍ତ ରାଜ୍ୟରୁ ଆହା ମହାନିମନ୍ତ୍ରଣ

ମୋଠାକୁ ଆସିଛି ଆଜି ଆହେ ନରନାରୀ ।

ଅନନ୍ତ ସିନ୍ଧୁରେ ବିନ୍ଦୁ–ମୁଁ ହେବି ମଗନ

ଅନନ୍ତ-ଆହ୍ୱାନ ଆହା ମହୋଲ୍ଲାସକାରୀ ।୧।

ଅନନ୍ତ ଆହ୍ୱନ ଆହା ମହୋଲ୍ଲାସକାରୀ

ସମୁଦ୍ରର ବେଦଧ୍ୱନି ବଳିଣ ଗମ୍ଭୀର ।

ଶ୍ରବଣ କରିଣ ଧ୍ୱନି-ପ୍ରାଣସ୍ପର୍ଶକାରୀ

ଜାଗଇ ଅଧୀର ପ୍ରାଣେ ଆନନ୍ଦ ସମୀର ।୨।

ମିଶିବ ଅନନ୍ତେ ମୋର କ୍ଷୁଦ୍ର ପ୍ରାଣନଦୀ

କ୍ଷୁଦ୍ରଭାବ ପରିହରି ହୋଇବ ମହାନ ।

ମହାସାଗରରେ ଲୀନ ଯଥା ବିଷ୍ଣୁପଦୀ

ମହାଯୋଗେ ମିଶି ଏକାକାର ଏକପ୍ରାଣ ।୩।

ଏ ପ୍ରାଣ-ଉଦ୍‌ବେଗ ଆଉ ନୁହଇ ସମ୍ଭାଳି,

ମେଲାଣି ଦିଅ ହେ ମୋତେ ମାନବ-ସନ୍ତାନ ।

ଅନନ୍ତ କୋଳରେ ପ୍ରାଣ ଦେବି ଆଜି ଢାଳି ।

ଅନନ୍ତ ସଙ୍ଗରେ ଆହା ହେବି ଏକ ପ୍ରାଣ ।୪।

ବେଗେ ତୋ ପାଶକୁ ମଧ୍ୟ ଆରେ ମୂଢ଼ନର

ଅନନ୍ତ ଆହ୍ୱାନ ବାଣୀ ଆସୁଛି ଗମ୍ଭୀରେ ।

ଏ ମହାବାରତା, ମୋର ବିଦାୟକାଳର

ଉପହାରରୂପେ ଘେନ ବେଳହୁଁ ଆଦରେ ।୫।

(୧୮୮୪)

•••

 

ମନୁଷ୍ୟର ପ୍ରତ୍ୟୁତ୍ତର

 

ଆରେ ସମ୍ୱତ୍ସର ଆଜି କି ମହାସମ୍ୱାଦ

ପ୍ରକାଶିଲୁ ମୋହନିନ୍ଦ୍ରା ଅଭିଭୂତ ପ୍ରାଣେ ।

ଅସାର ଭାବନାରୂପ ସ୍ୱପନ ପ୍ରମାଦ

ଭାଙ୍ଗିଲୁ, ବିଦାୟ ଗୀତ ଗାଇ ମହାତାନେ ।୧।

କମ୍ପଇ ହୃଦୟ ମୋର ଶୁଣି ତୋ ଗୀତ

ଆକୁଳ ପରାଣ ଭୟ-ଆଶା ଅଧିକାରେ ।

କ୍ଷୁଦ୍ରକୀଟ ମୁହିଁ ସଦା କ୍ଷୁଦ୍ରରେ ଜଡ଼ିତ

ମିଳିବ ଅନନ୍ତ ସଙ୍ଗେ କହ କି ପ୍ରକାରେ ।୨।

ଅନ୍ଧ ଅହଂ କାରାଗାରେ ନିରୁଦ୍ଧ ସନ୍ତତ

ବିବର୍ଣ୍ଣ ସଂକୀର୍ଣ୍ଣ ଶକ୍ତି ଶୂନ୍ୟ ଏ ଜୀବନ ।

ନୈରାଶ୍ୟ ଭୟରେ ସଦା ପ୍ରାଣ ଓଷ୍ଠାଗତ

ନିଜର କୁତ୍ସିତ ରୂପ କରି ଦରଶନ ।୩।

କେତେ ଆଶା କରିଥିଲି ତୋର ଆଗମନେ,

ସେ ଆଶା ବିଫଳ ହେଲା ଆରେ ସମ୍ବତ୍ସର !

ଆଜି ପୁଣି ନବ ଆଶା ଜାଗଇ ଏ ମନେ

ଶୁଣି ତା ଗମ୍ଭୀର ମହା-ସଙ୍ଗୀତ ତାହାର ।୪।

ଏ ଆଶା ମୋହର କିରେ ହେବ ଫଳବତୀ

କ୍ଷୁଦ୍ର ଅହଂ କାରାଗାରୁ ଲଭିଣ ଉଦ୍ଧାର ।

ଉଲ୍ଲାସେ ଧାଇଁବି ମୁହିଁ ଯଥା ସ୍ରୋତସ୍ୱତୀ

ଅନନ୍ତ ସଙ୍ଗତେ ହୋଇବାକୁ ଏକାକାର ।୫।

ଅନନ୍ତ ତୀର୍ଥର ଯାତ୍ରୀ ତୁହି ସମ୍ୱତ୍ସର

ଜାଣୁ ତୁହି ଏ ହୃଦର ଆକୁଳ ପ୍ରାର୍ଥନା ।

ଛଅ ଋତୁ ବାରମାସ ରହି ମୋ ସଙ୍ଗର

ବୁଝିନାହୁଁ ଏ ପ୍ରାଣର ନିଗୂଢ଼ ବେଦନା ।୬।

ଅନନ୍ତ ଆହ୍ୱାନ ବାର୍ତ୍ତା ପ୍ରଚାରି ସଂସାରେ

ଯାରେ ତେବେ ସମ୍ବତ୍ସର, ଦୁଃଖୀର ପ୍ରାର୍ଥନା ।

ଅନନ୍ତ ଶ୍ରୀପଦ ତଳେ ଜଣାଇବ ବାରେ

ଅନନ୍ତେ ହୋଇବୁ ମଗ୍ନ, ପୂରିବ କାମନା ।୭।

(୧୮୮୪)

•••

 

ବ୍ରହ୍ମକୃପା ମନ୍ଦିର–ପ୍ରଥମାର୍ଦ୍ଧ

 

ଆଜି ଏହି ମହୋତ୍ସବେ ଦେଖରେ ଅମ୍ୱରେ ସର୍ବେ

ବ୍ରହ୍ମକୃପା ନିକେତନ ପରମ ସୁନ୍ଦର

ତୋଳୁଛନ୍ତି ନିଜେ ବିଶ୍ୱକର୍ମା ମହେଶ୍ୱର ।୧।

ଅତୁଲ୍ୟ କରୁଣାରାଶି ଦେଖ ହେ ଜଗତବାସୀ

ଧୀରେ ଧୀରେ ଏକତ୍ରିତ ହେଉଛି ଜୀବନେ

ଜୀବନ ସାର୍ଥକ କର ଲୀଳା ଦରଶନେ ।୨।

କୃପାର ଉପରେ କୃପା, ପୁଣି ତଦୁପରି କୃପା

ଥୋଇଛନ୍ତି ଶ୍ରୀହସ୍ତରେ ମୋର ପ୍ରାଣେଶ୍ୱର

କୃପାର ଦେଉଳ ଆହା ପରମ ସୁନ୍ଦର ।୩।

ଅନନ୍ତ ପ୍ରେମର ଖଣି, ତହୁଁ କୋଟି କୋଟି ମଣି

ଆଣି ଖଞ୍ଜୁଛନ୍ତି ହରି ଦେଉଳ ଉପର

ପାରିବୁ କି ଦେଇ ବିଶ୍ୱ ତାର ପଟାନ୍ତର ।୪।

ହିମାଦ୍ରି ନୁଆଇଁ ଶିର ଦେଖଇ ଏ ଶ୍ରୀମନ୍ଦିର

ଉଡ଼ୁଅଛି ଭେଦି ପାପ ମୃତ୍ୟୁ ଅନ୍ଧକାର

ପ୍ରେମର ଆକାଶେ ଦିବ୍ୟ ମୂରତି ଉଦାର ।୫।

ମସ୍‌ଜିଦ୍‌ ଗୀରିଜା ହର୍ମ୍ୟ ତୁଙ୍ଗ ଦେବାଳୟ ରମ୍ୟ

ନିଷ୍ପ୍ରଭ ସରବେ କୃପାମନ୍ଦିର ଆଗରେ

ବିଶ୍ୱାସ ନୟନ ବାରେ ଫେଡ଼ି ଦେଖ ନରେ ।୬।

ଭାଙ୍ଗିଛି ଦେଉଳତୋଳା ଭକ୍ତର ନୟନ ଡୋଳା

ମୋହିତ ଚକିତ ଆହା ଲୀଳାଦରଶନେ

ବ୍ରହ୍ମକୃପା ହିଁ କେବଳ ଗାଅରେ ବଦନେ ।୭।

ତୋଳନ୍ତୁ ଅନନ୍ତ କାଳ ବ୍ରହ୍ମକୃପାର ଦେଉଳ

ଅନନ୍ତ ବିଧାତା ବ୍ରହ୍ମ ତୋହରି ଜୀବନେ

ବାଧା ନ ଦିଅରେ ମନ ପଡ଼ି ପ୍ରଲୋଭନେ ।୮।

ରେ ପାପ ଅସୁର କ୍ରୂର ବେଗେ ତୁହି ହୁଅ ଦୂର

ଭାଳୁଛୁ ଭାଙ୍ଗିବୁ ବ୍ରହ୍ମକୃପା ମନ୍ଦିର,

ପରାସ୍ତ ନୋହିବୁ କି ରେ କୃପାର ବିଧିର ।୯।

(ନବ ସମ୍ୱାଦ – ୩୦/୧/୧୮୮୭)

•••

 

ଧନୀର ସୁଖ

 

କେ ଅଛି ମୋ ସମ ସୁଖୀ ? ମୋହ ନାମ ଧନୀ

କେତେ ଶତ ଦାସଦାସୀ ରଖିଅଛି ଆଣି ।।

ଭୋଜନ ନିମିତ୍ତ କେବେ ନ କରେ ଭାବନା,

ଅନାୟାସେ ଆସି ସବୁ ହୁଅଇ ଘଟନା ।।

ଥାଏ କି ଅଭାବ କା’ର ସମ୍ପଦ କାଳରେ ?

ତୋଷୁଥାନ୍ତି ତୋଷମଦକାରୀ ନିରନ୍ତରେ ।।

ଶୋଇବାକୁ କି ଭାବନା ? ଶଯ୍ୟା ମନୋରମ

ଭ୍ରମିବା ନିମିତ୍ତ ଅଛି ଗଜତୁରଙ୍ଗମ ।।

ରତ୍ନ ସିଂହାସନ ରାଜେ ବସିବା ସକାଶେ

କିନ୍ତୁ ନ ଛାଡ଼ଇ ଚିନ୍ତା କଠୋର ପ୍ରୟାସେ ।।

ସତ୍ୟ ଅଟେ ତବ ବାକ୍ୟ, ଧନମତ୍ତ ମୋ ଚିତ୍ତ

ଚିନ୍ତା ପାଇଁ ହୋଇଅଛି ତୁମ୍ଭ ଏହି ବିତ୍ତ ।।

କେବେ ହେଁ ନ ଭାବ ଧନୀ, ସର୍ବଦା ଏପରି

‘କେ ହେବ ମୋ ପରି ସୁଖୀ-ଦାରିଦ୍ର୍ୟ ଯା ଅରି ।।’

ଯଦି ସମସ୍ତ ସୁଖରେ ଅଟ ତୁମ୍ଭେ ସୁଖୀ

ଧନରକ୍ଷା ହେତୁ ତୁମ୍ଭ କେତେ ଚିନ୍ତା ହୁଏ ?

ମନର ସ୍ଥିରତା କାହିଁ ? ସୁସ୍ଥ ସେତେ ନୁହେଁ ।।

ଶଯ୍ୟା ହେଉ ରତ୍ନମୟ-କିନ୍ତୁ ହେ ନୃପତି

କେଭେ କି ଶୋଇଛ ମୋଦେ ନପାଇ ଦୁର୍ଗତି ।।

‘‘ସୁଖୀ କିଏ ?’’ ଶୁଣ ଯେବେ ଇଚ୍ଛ ହେ ରାଜନ

‘‘ଋଣହୀନ, ସୁସ୍ଥକାୟ ଆଉ ଜ୍ଞାନବାନ ।’’

(ସମ୍ୱଲପୁର-ହିତେୈଷିଣୀ – ୧୫ । ୩ । ୧୮୯୩)

•••

 

ନୂତନ ସଙ୍ଗୀତ

(କାମୋଦୀ–ଆଦିତାଳ)

ଅହିଂସା ପରମଧର୍ମ, ପୁଣ୍ୟ ମନ୍ତ୍ର ଉଚ୍ଚାରି

ଧନ୍ୟ ହୁଅ ନରନାରୀ ଜୀବ ହିଂସା ନିବାରି ।

ଜୀବ ପ୍ରତି ଦୟାବହି ପବିତ୍ର କର ଏ ମହୀ

ଯୁଗେ ଯୁଗେ ମହାଜନେ ନାହାନ୍ତି କି ବିଚାରି ।

ଏ ଦଗ୍‍ଧ ଉଦର ଲାଗି ହୁଅ ପାତକଭାଗୀ

ଏ ପବିତ୍ର ଉପଦେଶ ଘେନ ହୃଦେ ବିଚାରି ।

ଜୀବନର ପ୍ରାଣ ସଂହାର ଅମେଧ୍ୟ ଆମିଷାହାର

ନୁହେଁ କି ରେ ମ୍ଳେଚ୍ଚ୍ଥାଚାର ଚିନ୍ତ ହେ ନରନାରୀ ।

କ୍ରୂର ମ୍ଳେଚ୍ଚ୍ଥଭାବ ତେଜି ଶୁଦ୍ଧ ସତ୍ତ୍ୱଧର୍ମ ହେଜି

ଭାବେ ଦୟାବ୍ରତ ସାଧି ହୁଅ ଶୁଦ୍ଧ ଆଚାରୀ ।

କେ ଅଛ ଭାରତଧାମେ ଦୟା ପୁଣ୍ୟ ଧର୍ମ ନାମେ

ଶୁଣ ବାରେ କୋଟି ଜୀବ ଯାତନାର ଗୁହାରି ।

ନିଦାରୁଣ ଜୀବ ନାଶ ନିବାର ହେ ଆସ ଆସ

ଉଡ଼ାଅ ଧରମବାନା ରଣବେଶେ ବାହାରି ।

ରାକ୍ଷସୀ ପ୍ରବୃତ୍ତିଚୟ ନାଶି ସାଧ ହେବ ଜୟ

ପ୍ରାଣେ ପ୍ରାଣେ ହୃଦେ ହୃଦେ ଦୟାଧର୍ମ ସଞ୍ଚାରି ।

ଜୀବର ଯାତନା ଧ୍ୱନି ଶୁଣି କାନ୍ଦଇ ମେଦିନୀ

ଦୁଃଖ-ଦଗ୍‍ଧ ପ୍ରାଣେ ତାର ଢାଳ ହେ ଶାନ୍ତିବାରି ।

(ସମ୍ବଲପୁର-ହିତୈଷିଣୀ – ୧୧ । ୧୧ । ୧୮୯୬)

•••

 

ସ୍ୱାଗତ ସଙ୍ଗୀତ

 

କ୍ଷତ୍ରିୟର ତେଜୋବୀର୍ଯ୍ୟ ପୈାରୁଷଗରିମା;

ନୃପତିର ସୁକଲ୍ୟାଣ ସୁକୃତ ମହିମା ।

ସମ୍ମିଳିତ ଏକାଧାରେ ଶ୍ରୀଛାମୁଙ୍କଠାରେ

ଜୟ ହେ ସୁଢ଼ୁଳ ଦେବ ଯଶସ୍ୱୀ ସଂସାରେ ।୧।

ଉଦ୍‌ଯୋଗୀ ପୁରୁଷ-ସିଂହ ମହାକର୍ମବୀର;

ଜ୍ଞାନେ ବୃହସ୍ପତି, ମହାପ୍ରବୀଣ ସୁଧୀର ।

ସୁଧାମୟ ସାରସ୍ପତ ନିକୁଞ୍ଜବିହାରୀ;

ଜୟ ହେ ସୁଢ଼ଳ ଦେବ ଜନହିତକାରୀ ।୨।

ଉତ୍କଳ ସାହିତ୍ୟ କ୍ଷେତ୍ରେ ରସଜ୍ଞ ସୁକବି

ଚିତ୍ରି ଅଛ ଚିତ୍ରୋତ୍ପଳା, ବୀରବାମା ଛବି ।

ଦରିଦ୍ର ଉତ୍କଳ ଭାଷା ଦୁର୍ଗତି ବିନାଶୀ;

ଜୟ ହେ ସୁଢ଼ଳ ଦେବ ସାହିତ୍ୟବିଳାସୀ ।୩।

ମାତୃଭାଷା, ଛାମୁଯୋଗୁଁ ଏବେ ସାଳଙ୍କାରା

କବିବୁଧ ଆଶାଲତା ଲଭି କୃପାଧାରା

ହୋଇଅଛି ଫଳବତୀ ଏ ଉତ୍କଳଧାମେ

ଜୟ ହେ ସୁଢ଼ଳ ଦେବ, ଜୟ ତବ ନାମେ ।୪।

ଗୀର୍ବାଣ-ବିଭବ ଜ୍ଞାତା ବୁଧ-ଶିରୋମଣି;

ସଂସ୍କୃତ ଭାରତୀ ଦେବୀ ସେବକ ଅଗ୍ରଣୀ ।

ବାସୁଦେବ ସମ, ନୀତି କୃଶଳ ଚତୁର;

ଜୟ ବାସୁଦେବ – ନାମ ସୁଧୀବର ଶୂର ।୫।

ଉତ୍କଳବକ୍ଷ ଯାର କୀର୍ତ୍ତିମଣିହାର;

ଅଟ ସେହି ମହା-ଗଙ୍ଗବଂଶ-ଅଳଙ୍କାର

ତବ ଶୁଭ ଆଗମନେ ଉତ୍କଳ ମଣ୍ଡଳ;

ଗାଏ ‘‘ହେ ବାମଣ୍ଡେଣ ! ହେ ଦେବ ସୁଢ଼ଳ’’ ।୬।

ମହାଭାଗ, ମହାମତି, ସୁଯୋଗ୍ୟ ନନ୍ଦନ;

ଶ୍ରୀ ସଚ୍ଚିଦାନନ୍ଦ ଦେବ ପ୍ରସନ୍ନ ବଦନ ।

ବିନୟର ଅବତାର ବିଜ୍ଞାନ-ବିଳାସୀ;

ବିଜେ ଶୁଭକ୍ଷଣେ ଛାମୁ ସଙ୍ଗତରେ ଆସି ।୭।

ଉଭୟଙ୍କୁ ଶ୍ରଦ୍ଧାପୂର୍ଣ୍ଣ ସ୍ୱାଗତ ଭାଷଣ

ଜଣାଇଛି ଆଲୋଚନା ସଭା ଅକିଞ୍ଚନ ।

ଜୟ ଶ୍ରୀ ସୁଢ଼ଳ ଦେବ ଜୟ ମହାରାଜ;

ଜୟ ଶ୍ରୀ ସଚ୍ଚିଦାନନ୍ଦ ଜୟ ଯୁବରାଜ ।

(ସମ୍ବଲପୁର-ହିତୈଷିଣୀ – ୨୮ । ୧୧ । ୧୯୦୦)

Image

 

ସଙ୍ଗୀତ

 

ଭାଇ ଭଗିନୀ ସରବେ ବିଶ୍ୱାସର ଜୟ ରବେ

ଆସ ଆସ ପୁଣ୍ୟ ବ୍ରହ୍ମୋତ୍ସବେ,

ବିଶ୍ୱାସ ନୟନ ଦେଖି ନିରଞ୍ଜନେ

ପ୍ରେମେ ପୂଜ ପରମ ବାନ୍ଧବେ ।

 

ଦେଖ ଦେଖ ନେତ୍ର ଫେଡ଼ି, ଆନନ୍ଦେ ଅଛନ୍ତି ବେଢ଼ି

ସେ ଶ୍ରୀପଦ କୋଟି କୋଟି ଦେବେ,

କିବା ସେ ଅମୃତ ଧନ କି ସୁଧାମୟ ରତନ

ଦେଖ ହେ ପ୍ରତ୍ୟକ୍ଷ ଅନୁଭବେ ।

 

ଆହା କି ଆନନ୍ଦ ଧ୍ୱନି ଉଠଇ ଭେଦି ଅବନୀ

ସେହି ସତ୍ୟ ନାମର ଗୌରବେ,

ଧରି ସେହି ସତ୍ୟନାମ ହୋଇ ସର୍ବେ ସତ୍ୟକାମ

ବୁଡ଼ିଯାଅ ସତ୍ୟର ଅର୍ଣ୍ଣବେ ।

 

ବୁଡ଼ି ସତ୍ୟସିନ୍ଧୁ ଜଳେ ପବିତ୍ର ପ୍ରାଣ ସକଳେ

ବାରେ ଡାକ ମିଳିଣ ସରବେ,

 

ବିରାଜିବେ ପ୍ରାଣହରି ଉତ୍ସବ ସ୍ୱରୂପ ଧରି

ଭୁଂଜ ସେହି ସ୍ୱରଗ-ବିଭବେ ।

(ଜୁଲାଇ – ୧୮୯୬)

Image